
Vol. No. 02 | Issue No. 04 | JULY-AUGUST 2024
ଦ୍ୱିତୀୟ ବର୍ଷ, ଚତୁର୍ଥ ସଂଖ୍ୟା | ଜୁଲାଇ – ଅଗଷ୍ଟ ୨୦୨୪
PUBLISHED ARTICLES । ପ୍ରକାଶିତ ଗବେଷଣା ପ୍ରବନ୍ଧ
[ Vol. No. 02 | Issue No. 04 | JULY-AUGUST 2024 ]
‘କାଳି-ଦମନ’ ନାଟ ଓ ‘କାଳୀୟ ଦଳନ’ ନାଟକର ତୁଳନାତ୍ମକ ବିଚାର
ଡ. ପ୍ରମିଳା ପାଟୁଳିଆ
Article Received : 07.03.2024 | Accepted : 25.08.2024 | Published : 25.09.2024
ARTICAL ID : BM2024/04-A001 | PAGE 8-12
READ ABSTRACT
‘କାଳି ଦମନ’ ନାଟକର ରଚୟିତା ଆସାମର ବୈଷ୍ଣବ ଗୁରୁ ଶଙ୍କରଦେବ ( ୧୪୪୯ – ୧୫୬୮) ଓ ଏହାର ପ୍ରଥମ ପ୍ରକାଶକାଳ ୧୪୯୦ । ସେହିପରି ଓଡ଼ିଶାର ଜାତୀୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ଲେଖକ ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮-୧୯୫୩) ‘କାଳୀୟ ଦଳନ’ ନାଟକର ରଚୟିତା। ନାଟ୍ୟକାରଙ୍କ ନାଟକ ଗୁଡ଼ିକ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ। କାଳି ଦମନ ନାଟକରେ ଶ୍ରୀକୃଷ୍ଣ ଏକ ହଜାର ଫଣାଯୁକ୍ତ ଦୁର୍ଦ୍ଦାନ୍ତ କାଳି ସର୍ପକୁ ଦମନ କରିଛନ୍ତି। ମାତ୍ର କାଳୀୟ ଦଳନ ନାଟକରେ ଶ୍ରୀକୃଷ୍ଣ ସାତ ଫଣାଯୁକ୍ତ କାଳି ସର୍ପ ନାଗକୁ ଦଳନ କରିଛନ୍ତି । ଉଭୟ ନାଟ୍ୟକୃତିରେ କୃଷ୍ଣଙ୍କ ପ୍ରେମ ଓ ଭକ୍ତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ସାମାଜିକ ଜୀବନରେ ଭକ୍ତିଭାବର ପ୍ରଚାର ପ୍ରସାର କରାଯାଇଛି।
ଓଡ଼ିଆ ଅସ୍ମିତାର ଐତିହାସିକ ଓ ରାଜନୈତିକ ବୈଚିତ୍ର୍ୟ
ଡ଼. ବିଶ୍ୱନନ୍ଦନ ଦାଶ
Article Received : 02.08.2024 | Accepted : 25.08.2024 | Published : 25.09.2024
ARTICAL ID : BM2024/04-A002 | PAGE 13-20
READ ABSTRACT
‘ଅସ୍ମିତା’! ତାହା ପୁଣି ‘ଓଡ଼ିଆ ଅସ୍ମିତା’! ଯାହା ଏକ ମାନସିକତାର ଆଭିମୁଖ୍ୟ ବା ପରିଚୟର ଧାରଣା। ଏହି ଆଚରଣର ଧାରଣା ପ୍ରାୟତଃ ଅନୁମେୟ, କିନ୍ତୁ କାହାର ଭାବପ୍ରବଣତାର ସମ୍ପର୍କରେ ନୁହେଁ। କୌଣସି ମନୋଭାବକୁ ଆକଳନ କରିବା ପ୍ରାୟତଃ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଜଣଙ୍କ ଭାଷା ଓ ଜାତି ପାଇଁ ଭାବପ୍ରବଣତା ଓ ବୈଶିଷ୍ଟ୍ୟ ପ୍ରାୟତଃ ଏକ ସାମାଜିକ ବ୍ୟବସ୍ଥା ଦ୍ୱାରା ବ୍ୟବସ୍ଥିତ। ‘ଅସ୍ମିତା’ ବିଷୟରେ ବିବେଚନା କଲେ ତାହା ଜ୍ଞାନାତ୍ମକ, ଭାବପ୍ରବଣ ଏବଂ ଆଚରଣଗତ ଉପାଦାନ ଦ୍ୱାରା ଅନ୍ତର୍ଭୁକ୍ତ, ଯେପରି – ନିଜର ବିଶ୍ୱାସ ଏବଂ କାର୍ଯ୍ୟ କରିବାର ଶୈଳୀ ନିର୍ଭରଶୀଳ। ବିଗତ କିଛିଦିନ ଧରି ଓଡ଼ିଶାରେ ସାମାଜିକ ଓ ରାଜନୈତିକ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଓ ସଭାସମିତିରେ ‘ଅସ୍ମିତା’ ଶବ୍ଦର ବ୍ୟାପକ ପ୍ରୟୋଗ ହେଉଛି। ଅସ୍ତମିତ ଓଡ଼ିଆ ଅସ୍ମିତାର ପୁନଃ ଉନ୍ମେଷ ହୋଇଛି, ଏକ ରାଜନୈତିକ ବୈଚିତ୍ର ରୂପରେ। କିନ୍ତୁ ପ୍ରଚଳିତ ସମୟରେ ‘ଅସ୍ମିତା’ ଶବ୍ଦଟିର ପ୍ରକୃତ ତର୍ଜମା ହେଉନାହିଁ। ଏଣୁ ଏହି ପ୍ରସଙ୍ଗରେ ଅଧିକ ସ୍ପଷ୍ଟ ଅନୁସନ୍ଧାନ ଆବଶ୍ୟକ। ସାମ୍ପ୍ରତିକ ପ୍ରବନ୍ଧରେ ଏହି ଅଭାବ ଦୂର ପାଇଁ, ଓଡ଼ିଆ ଅସ୍ମିତାର ବାସ୍ତବିକ ବୁଝାମଣା, ଐତିହାସିକ ପୃଷ୍ଠଭୂମି, ସ୍ୱରୂପ, ସଂଜ୍ଞା, ଏବଂ ଦୃଷ୍ଟିକୋଣ ବିଷୟରେ ବିଶେଷ ପ୍ରୟୋଗାତ୍ମକ ସମୀକ୍ଷା କରାଯାଇଛି। ଏଣୁ ଏକାନ୍ତ ବିଶ୍ୱାସରେ କୁହାଯାଇପାରେ ଯେ, ଜଣେ ପାଠକ ଯେତେବେଳେ ଏହାକୁ ଆମୂଳଚୂଳ ପଢିବେ, ସିଏ ହିଁ ଉପଲବ୍ଧି କରିପାରିବ ଓଡ଼ିଆ ଅସ୍ମିତାର ପରିଧି ଓ ପରିସର। ପାଠାନ୍ତରେ, ଏହି ପ୍ରୟାସକୁ ଆତ୍ମିକ ଅନୁଭବ କରିବା ସହିତ ବିଭିନ୍ନ ନୂତନ ସୀମା ଉଦ୍ଭାବନ ପାଇଁ ଅନ୍ଧାର ରାସ୍ତାରେ ଆଲୋକ ପାଇବା ସାଦୃଶ୍ୟ ହେବ।
ଓଡ଼ିଆ ଉପନ୍ୟାସରେ ସମକାମିତା ପ୍ରସଙ୍ଗ
ଦିପୁନ ପୁହାଣ
Article Received : 31.07.2024 | Accepted : 25.08.2023 | Published : 25.09.2024
ARTICAL ID : BM2024/04-A003 | PAGE 21-30
READ ABSTRACT
ସମକାମିତା ପ୍ରସଙ୍ଗ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ନୂଆ ନୁହେଁ। ସ୍ୱାଧୀନତା ପ୍ରାପ୍ତିର ଯଥେଷ୍ଟ ପୂର୍ବରୁ ୧୯୩୭ ମସିହାରୁ ସମକାମିତାକୁ ଆଧାର କରି ଓଡ଼ିଆ ଉପନ୍ୟାସ ସୃଷ୍ଟି କରିବାର ପ୍ରାୟାସ କରାଯାଇଛି। ମାତ୍ର ପରିବାରର ପରିଧିରୁ ଦେଶର ନ୍ୟାୟିକ ସୁରକ୍ଷା ପର୍ଯ୍ୟନ୍ତ, ଧାର୍ମିକ ଦୃଷ୍ଟିଭଙ୍ଗୀରୁ ସାମାଜିକ ବିଧି ବ୍ୟବସ୍ଥା ପର୍ଯ୍ୟନ୍ତ ସବୁଠି, ସବୁ କ୍ଷେତ୍ରରେ ଏହିଭଳି ଏକ ପରଂପରାହୀନ ପ୍ରେମ ସମ୍ପର୍କକୁ ସ୍ୱୀକାର କରିବାର ଦ୍ୱନ୍ଦ୍ୱ ଯେଉଁଠି ଆଜିବି ବଳବତ୍ତର, ସେଇଠି ଆମ ସାହିତ୍ୟ ସମାଲୋଚକମାନେ ବିମୁଖତା ପ୍ରଦର୍ଶନ କରିବା ସ୍ୱାଭାବିକ। ତେଣୁ ଏହି ସମ୍ବେଦନଶୀଳ ପ୍ରସଙ୍ଗଟି ଆଜିବି ଓଡ଼ିଆ ସାହିତ୍ୟରେ ଅନାଲୋଚିତ ପ୍ରାୟ। ଯଦିଓ ଅଧୁନା ଭାରତରେ ସମଲୈଙ୍ଗିକତାକୁ ସାମ୍ୱିଧାନିକ ସ୍ୱୀକୃତି ମିଳିଛି। ଇଂରେଜ ଅମଳରୁ ଚଳିଆସୁଥିବା ଔପନିବେଶୀୟ ନ୍ୟାୟ ବ୍ୟବସ୍ଥାରେ ସୁଧାର ଆଣିଛି। ଧାରା ୩୭୭ର ଉଚ୍ଛେଦ ଘଟିଛି। ତଥାପି ଭାରତୀୟ ସମାଜ ବ୍ୟବସ୍ଥା ଓ ଜନଗଣର ମାନସିକତାରେ ସମକାମିତା କେତେ ଗ୍ରହଣୀୟ ହୋଇପାରିଛି ଏହା ଚିନ୍ତାର ବିଷୟ। ତେଣୁ ଏହି ଅନାଲୋଚିତ ପ୍ରାୟ ଓଡ଼ିଆ ଉପନ୍ୟାସରେ ସମକାମୀ ପ୍ରେମ ପ୍ରସଙ୍ଗର ଇତିହାସ ଓ ସାମାଜିକ ଅଧିକାରର ସଂଗ୍ରାମ ଯେତିକି ମାର୍ମିକ, ଯେତିକି ବିଡମ୍ୱିତ, ଯେତିକି ଉପହାସିତ, ସେତିକି ସମ୍ୱେଦନଶୀଳ ଓ ସେତିକି ଚେତନା ସଂଘାତି ମଧ୍ୟ। ସମକାମିତା ଆମକୁ ଭାବିବାକୁ ବାଧ୍ୟ କରେ ଯେ- ସତରେ କେତେ ପ୍ରଗତିଶୀଳ ଆମେ? କେତେ ମୁକ୍ତ ଆମର ଚିନ୍ତନ? ମଣିଷର ବୈଚିତ୍ର୍ୟକୁ ବୁଝିବାରେ ଓ ହୃଦୟର ଆକର୍ଷଣକୁ ସ୍ୱୀକାର କରିନେବାରେ କେତେ ସମର୍ଥ ଆମର ମାନସିକତା? ଏହିପରି ବିବିଧ ପ୍ରଶ୍ନମୟତାର ସାମ୍ନାରେ ସମକାମୀ ପ୍ରସଙ୍ଗ ଆଧାରିତ ଉପନ୍ୟାସ ସବୁର ଗ୍ରନ୍ଥି ଉନ୍ମୋଚନ କରିଦେବା ହିଁ ଏହି ପ୍ରବନ୍ଧର ହେତୁ।
ଆଭାସଗଳ୍ପର ଶିଳ୍ପକଳା ଓ ଓଡ଼ିଆ ଗଳ୍ପ ସାହିତ୍ୟରେ ତା’ର ପଦଧ୍ୱନୀ
ଆଲୋକ ରଞ୍ଜନ ଷଡ଼ଙ୍ଗୀ୧, ଡ଼. ସନ୍ତୋଷ ତ୍ରିପାଠୀ୨
Article Received : 30.07.2024 | Accepted : 25.08.2024 | Published : 25.09.2024
ARTICAL ID : BM2024/04-A004 | PAGE 31-37
READ ABSTRACT
ଆଭାସଗଳ୍ପ ହେଉଛି ଯେ କୌଣସି କ୍ଷଣିକ ଅନୁଭୂତି, ଆବେଗର ଗାଢ଼ତାପନ୍ନ ବା ଘନବଦ୍ଧ ପରିପ୍ରକାଶ। ଶୈଳୀ ଏହାର ଅତ୍ୟନ୍ତ ବ୍ୟଞ୍ଜନାତ୍ମକ। ଏହା ମନନଶୀଳ ସର୍ଜନ ବ୍ୟାପାର। କୌଣସି ଏକ ଘଟଣାକୁ ସିଧାସଳଖ ବନେଇ ଚୁନେଇ ନଲେଖି ଅସଲ କଥାର କେନ୍ଦ୍ରକୁ ଛୁଇଁବା ହେଉଛି ଆଭାସଗଳ୍ପର ଧର୍ମ। ବ୍ରହ୍ମାନନ୍ଦ ପଣ୍ତାଙ୍କଠୁ ଆରମ୍ଭ ହୋଇଥିବା ଆଭାସଗଳ୍ପ ଏକ ସ୍ୱତନ୍ତ୍ର ଶୈଳୀ ସୁତ୍ର ଭାବରେ ଷାଠିଏ ପରବର୍ତ୍ତୀ କାଳର ଗଳ୍ପଧାରାରେ ସମୃଦ୍ଧ ଲାଭ କରିଛି । ଉତ୍ତରଷାଠିଏ କାଳରେ ଗାଳ୍ପିକମାନେ ନିହାତି ଗୋଟେ ଅନୁଭବ ମଣ୍ତଳରେ ପାଠକକୁ କିଛି ସମୟ ବାନ୍ଧି ରଖିବା ପାଇଁ ବିଭିନ୍ନ ପରୀକ୍ଷା ନିରୀକ୍ଷା ଚଲାଇଥିଲେ। ପୁରୁଣା କାହଣୀର ଗଳ୍ପ ପ୍ରସ୍ଥକୁ ଛୋଟଛୋଟ ବିମ୍ବରେ ଦେଖିବାର ମାନସିକତାରୁ ଆଭାସଗଳ୍ପର ସୃଷ୍ଟି ହେଲା । ବ୍ରହ୍ମାନନ୍ଦ ପଣ୍ତା, ରବି ପଟ୍ଟନାୟକ, ଶାନ୍ତନୁ ଆଚାର୍ଯ୍ୟ, ନିମାଇଁ ଚରଣ ପଟ୍ଟନାୟକ, ପ୍ରଫୁଲ୍ଲ ତ୍ରିପାଠୀ, ରତ୍ନକାର ଚଇନି, ସଦାଶିବ ଦାସ, ପ୍ରସନ୍ନ ପାଟ୍ଟଶାଣୀ, ରବିସ୍ୱାଇଁ, ସତ୍ୟମିଶ୍ର, କହ୍ନେଇଲାଲ ଦାସ, ଅଶୋକ ଚନ୍ଦନ, ଅଧ୍ୟାପକ ବିଶ୍ୱରଞ୍ଜନ, ଗିରିଦଣ୍ତ ସେନା, ରଣଦୀର ଦାସ, ପୂର୍ଣ୍ଣାନନ୍ଦ ଦାନୀ, ଜଗଦୀଶ ମହାନ୍ତି ଇତ୍ୟାଦି ଗାଳ୍ପିକ ଓଡ଼ିଆ ଆଭାସଗଳ୍ପ ପରମ୍ପରାରେ ଲିଖନୀ ଚାଲନା କରି ସମୃଦ୍ଧ କରିପାରିଛନ୍ତି । ଏହି ଆଲୋଚନାରେ ଆଭାସଗଳ୍ପର ସଂଜ୍ଞା, ସ୍ୱରୂପ ସହିତ ଓଡ଼ିଆ ଗଳ୍ପରେ ତାର ପ୍ରୟୋଗ ସମ୍ପର୍କରେ ଆଲୋଚନା କରାଯାଇଛି ।
ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ପତ୍ରପତ୍ରିକା ଓ ‘ଏଷଣା’
ଲିକୁ ବେହେରା
Article Received : 31.07.2024 | Accepted : 25.08.2024 | Published : 25.09.2024
ARTICAL ID : BM2024/04-A005 | PAGE 38-44
READ ABSTRACT
ପତ୍ରପତ୍ରିକା ଲେଖକୀୟ ଭାବ ପ୍ରକାଶର ପ୍ରକୃଷ୍ଟ ମାଧ୍ୟମ। ଆଲୋଚ୍ୟ ‘ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ପତ୍ରପତ୍ରିକା ଓ ଏଷଣା’ ପ୍ରବନ୍ଧର ପ୍ରାରମ୍ଭରେ ଓଡ଼ିଆ ପତ୍ରପତ୍ରିକାର ଜନ୍ମକାଳ ଓ ତା’ର ବିକାଶ ସଂପର୍କରେ ସ୍ୱଳ୍ପ ଆଲୋଚନା କରାଯାଇଛି। ଏଥି ସହିତ ସ୍ୱାଧୀନତା ପରକାଳରେ ପ୍ରକାଶ ପାଇଥିବା ଓଡ଼ିଆ ପତ୍ରପତ୍ରିକା ଗୁଡ଼ିକର ବହୁବିଧ ରୂପ ଓ ବୈଚିତ୍ର୍ୟ ସମ୍ବନ୍ଧରେ ଆଲୋଚନା କରାଯାଇ ବିଂଶ ଶତାବ୍ଦୀର ଅଶି ଦଶକ ବେଳକୁ ‘ଓଡ଼ିଆ ଗବେଷଣା ପରିଷଦ’ର ମୁଖପତ୍ର ଭାବେ ଜନ୍ମଲାଭ କରିଥିବା ‘ଏଷଣା’ ପତ୍ରିକା ସମ୍ବନ୍ଧରେ ଆଲୋଚନା କରାଯାଇଛି। ସ୍ୱାଧୀନତା ପରକାଳରେ ଓଡ଼ିଆ ପତ୍ରପତ୍ରିକା କେବଳ ସାହିତ୍ୟ ଭିତ୍ତିକ ଲେଖା ମଧ୍ୟରେ ସୀମିତ ନ ରହି ଚଳଚ୍ଚିତ୍ର, ବିଜ୍ଞାନ, ଶିଳ୍ପ, ଖେଳ ଖବର, ଜ୍ୟୋତିଷ ଶାସ୍ତ୍ର, ଆଧ୍ୟାତ୍ମିକ ଭାବନା ଏବଂ ସରକାରଙ୍କ ସୂଚନା ଓ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଏସବୁ କିଭଳି ଭାବରେ ପତ୍ରପତ୍ରିକାରେ ପ୍ରସାରିତ ହୋଇଛି ତାହା ଆଲୋଚିତ ହୋଇଛି। ଏଷଣା ପତ୍ରିକାର ଜନ୍ମଜାତକ, ଏଥିରେ ପ୍ରକାଶ ପାଉଥିବା ଲେଖାର ସ୍ୱରୂପ ଏବଂ ସାହିତ୍ୟର ଅନାଲୋଚିତ ଦିଗକୁ ଏଷଣା କିପରି ଆଲୋଚନାର ମାର୍ଗ ଦେଖାଇଥିଲା ତାହା ଏହି ପ୍ରବନ୍ଧରେ ଆଲୋଚନା କରାଯାଇଛି।
