
Vol. No. 02 | Issue No. 05 | SEP-OCT 2024
ଦ୍ୱିତୀୟ ବର୍ଷ, ପଞ୍ଚମ ସଂଖ୍ୟା | ସେପ୍ଟେମ୍ବର – ଅକ୍ଟୋବର ୨୦୨୪
PUBLISHED ARTICLES । ପ୍ରକାଶିତ ଗବେଷଣା ପ୍ରବନ୍ଧ
[ VOL. NO. 02 | ISSUE NO. 05 | SEP-OCT 2024 ]
ସାରଳା ମହାଭାରତରେ ଲୋକବିଦ୍ୟା : ଏକ ଅନୁଶୀଳନ
ଡ. ସଂଘମିତ୍ରା ମହାପାତ୍ର୧, ଡ. ଶର୍ମିଷ୍ଠା ମହାପାତ୍ର୨
Article Received : 14.07.2024 | Accepted : 25.10.2024 | Published : 25.11.2024
ARTICAL ID: BM2024/05-A001 | PAGE 9-18
READ ABSTRACT
‘ଲୋକବିଦ୍ୟା’ ହେଉଛି ମାନବ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମହାଭାରତ ଅଧ୍ୟୟନ, ଆଲୋଚନା, ଗବେଷଣା ଏବଂ ସମୀକ୍ଷାକାଳରେ ପାଠକ ଓ ସମୀକ୍ଷକ ଏହା ମାଧ୍ୟମରେ ଆପଣାକୁ ତଥା ଆପଣାର ପରିବେଶକୁ, ସାମାଜିକ ରୀତିନୀତିକୁ ଖୋଜିପାଏ। ମାନବ ଜୀବନର ଚିତ୍ର, ସକଳ କ୍ରିୟାକର୍ମ ଏବଂ ବିଶ୍ୱାସ ଓ ସମାଜର ଆଦର୍ଶର ପ୍ରତୀକ ରୂପେ ମହାଭାରତର ସ୍ଥାନ ସ୍ୱତନ୍ତ୍ର। ସଂସ୍କୃତି ଓ ପରମ୍ପରାର ମୁକସାକ୍ଷୀ ହେଉଛି ମହାଭାରତ। ଲୋକମାନଙ୍କର ଆଚରଣକୁ ଅର୍ଥାତ୍ ଆଚାର ବିଚାରକୁ ଲୋକାଚାର ବୋଲି କୁହାଯାଇଥାଏ। ଏହାଦ୍ୱାରା ପାରିବାରିକ ତଥା ସାମାଜିକ ଜୀବନ ଶୃଙ୍ଖଳିତ ଓ ସରସ ସୁନ୍ଦର ହୋଇଥାଏ। ଏହା ମଣିଷର ବିଶ୍ୱାସବୋଧ ଉପରେ ପ୍ରତିଷ୍ଠିତ। ଲୋକାଚାରରୁ ସାଂସ୍କୃତିକ ମୂଲ୍ୟବୋଧ ଜଣାପଡ଼େ। ଏହି ପରମ୍ପରା ପୌରାଣିକ ବିଶ୍ୱାସ, ଲୌକିକି ବିଧି ଓ ସାମାଜିକତାର ଆଧାରରେ ଗଢ଼ି ଉଠିଥାଏ। ସଂସ୍କାର ଜନିତ ସକଳ ପ୍ରକାର କ୍ରିୟାନୁଷ୍ଠାନ ମାନବ ସମାଜର ମଙ୍ଗଳ ସାଧନ କରେ, ଏହା ମହାଭାରତ ମାଧ୍ୟମରେ ପ୍ରମାଣିତ। ପ୍ରଥା-ପରମ୍ପରାର କଷଟିରେ ଲୋକାଚାର ମାର୍ଜିତ ଓ ଶୃଙ୍ଖଳିତ ହୋଇଥାଏ। ମଣିଷକୁ ସୁଶୃଙ୍ଖଳିତ, ସୁମାର୍ଜିତ ଓ ସୁନୀତିସଂପନ୍ନ ତଥା ସୁସଂଯତ କରିବା ଲାଗି ସାମାଜିକ ସଂସ୍କାରର ଆବଶ୍ୟକତା ରହିଛି। ମହାଭାରତ ଏକାଧାରରେ ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଓ ନୈତିକ ପରମ୍ପରାର ଏକ ଅନନ୍ୟ ସଫଳ କାଳଜୟୀ ସୃଷ୍ଟି। ଏଥିରେ ସମାଜର ସକଳପ୍ରକାର ପ୍ରୟୋଜନୀୟ ବିଷୟର ସମାହାର ରହିଛି। ଉକ୍ତ ଗବେଷଣା ପତ୍ରରେ ଏହିସବୁ ଦିଗରେ ବିଶେଷ ଆଲୋଚନା କରାଯାଇଛି।
ଲୁଇପାଙ୍କ ଚର୍ଯ୍ୟାଗୀତୀୟ ପ୍ରାକୃତ : ପ୍ରାଚୀନ ଓଡ଼ିଆ ଭାଷା
ଲେପ୍ଟନାଣ୍ଟ୍ ଡ. କଳ୍ପତରୁ ନାୟକ
Article Received : 29.08.2024 | Accepted : 25.10.2024 | Published : 25.11.2024
ARTICAL ID: BM2024/05-A002 | PAGE 19-24
READ ABSTRACT
ଚର୍ଯ୍ୟାକାର ଲୁଇପା ଓଡ଼ିଶା ନିବାସୀ ଥିଲେ। ଲାମା ତାରାନାଥଙ୍କ ବର୍ଣ୍ଣନା ଅନୁସାରେ ସେ ଓଡ଼ିୟାନ୍ ପୀଠର ସାମନ୍ତଶୁଭ ରାଜାଙ୍କର ଲେଖକ ଥିଲେ। ଚର୍ଯ୍ୟାପଦରେ ଲୁଇପାଙ୍କର ‘କାଆ ତରୁବର ପଞ୍ଚ ବି ଡାଳ’ ଏବଂ ‘ଭାବ ନ ହୋଇ ଅଭାବ ଣ ଜାଇ’ ନାମରେ ଦୁଇଟି କବିତା ରହିଛି। ‘ବି’, ‘ଡାଳ’, ‘ପଇଠ’, ‘ଭଣଇ’, ‘ଜାଣ’, ‘କାହିଁ’, ‘କରିଅଇଁ’, ‘ଓଡ଼ି’, ‘ଭିଡ଼ି’, ‘ଆମ୍ହେ’, ‘ବେନି’, ‘ପିଣ୍ଡି’, ‘ବଇଠା’, ‘ବଖାଣି’, ‘କିସ’, ‘ଭଣି’, ‘ତାହେର’ ଆଦି ପ୍ରାକୃତ ଶବ୍ଦ ବ୍ୟବହୃତ ଯାହା ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବ୍ୟବହୃତ ହେବାର ଲକ୍ଷ୍ୟକରାଯାଏ। ଦ୍ୱିତୀୟା ବିଭକ୍ତିରେ ‘ଏ/ରେ’ ବିଭକ୍ତି ପ୍ରତ୍ୟୟର ବ୍ୟବହାର; ‘କିସ’, ‘କାହିଁ’, ‘ଆମ୍ହେ/ଆମ୍ଭେ’, ‘ମଇଂ’, ‘ଆନି’ ଆଦି ସର୍ବନାମ ପଦ; ‘କରିବଇଁ’, ‘ମରିବଇଁ’, ‘ଭଣଇ’ ଆଦିର କ୍ରିୟାପଦର ବ୍ୟବହାର ଉଭୟ ପ୍ରାକୃତ ଏବଂ ଓଡ଼ିଆ ଭାଷାରେ ହୋଇଥାଏ। ଲୁଇପାଙ୍କ ଚର୍ଯ୍ୟାପଦରେ ବ୍ୟବହୃତ ‘ପଇଠ’, ‘ସଅଳ’, ‘ଭଣଇ’, ‘ବଇଠା’, ‘ବଖାଣି’, ‘ମିଛ’, ‘ମୁଇଂ’, ‘ପାଖ’ ଆଦି ପ୍ରାକୃତ ଶବ୍ଦର ବ୍ୟବହାର ସାରଳା ଦାସଙ୍କ ମହାଭାରତରେ ବି ବ୍ୟବହୃତ। ଭାଷାତାତ୍ତ୍ୱିକ ଆଲୋଚନାରୁ ସେ ଓଡ଼ିଶା ନିବାସୀ ଥିଲେ ବୋଲି କୁହାଯାଇ ପାରିବ।
ଓଡ଼ିଆ ନାଟକରେ ରୂପାନ୍ତର ଶୈଳୀର ପ୍ରୟୋଗ
ଡ. ମମତା ସାହୁ
Article Received : 15.08.2024 | Accepted : 25.10.2024 | Published : 25.11.2024
ARTICAL ID: BM2024/05-A003 | PAGE 25-31
READ ABSTRACT
ସାହିତ୍ୟର ବିଭିନ୍ନ ବିଭାବ ମଧ୍ୟରେ ନାଟକ ସ୍ୱତନ୍ତ୍ର। ନାଟକର ମୂଲ୍ୟାୟନ ହୁଏ ମଞ୍ଚରେ। ଲୋକ ରୁଚି ଓ ସମୟର ପରିବର୍ତ୍ତନ ନାଟକର ଗଢଣ ଓ ମଞ୍ଚାୟନରେ ଅନେକ ନୂତନ କଳା ଓ କୌଶଳକୁ ଜନ୍ମ ଦେଇଛି। ସେସବୁ ମଧ୍ୟରେ ରୂପାନ୍ତର ଶୈଳୀ ଅନ୍ୟତମ। ଏହି ପ୍ରବନ୍ଧରେ ପ୍ରଥମେ ରୂପାନ୍ତର ଶୈଳୀ ସଂପର୍କରେ ଉଲ୍ଲେଖ କରିଛି। ପରେ ୧୯୭୦ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଦର୍ଶକୀୟ ରୁଚି ଓ ମୂଲ୍ୟବୋଧକୁ ଆଧାର କରି ଯେଉଁ ନାଟକ ସବୁ ରଚନା ହୋଇଛି ସେଥିରେ କିପରି ରୂପାନ୍ତର ଶୈଳୀ ପ୍ରୟୋଗ କରାଯାଇଛି ତାହା ସୂଚନା ଦେବା ସହ ଏହି ଶୈଳୀକୁ ଗ୍ରହଣ କରିବାର ଯେଉଁ କାରଣ ଓ ଆଭିମୁଖ୍ୟ ରହିଛି ତାହା ପ୍ରକାଶ କରିଛି। ନାଟକରେ କିପରି ସ୍ଥାନ-କାଳ-ପାତ୍ର ଓ ଚେତନାଗତ ରୂପାନ୍ତର ଘଟୁଛି ତାହା କିପରି ସହଜରେ ବୁଝି ହେବ ସେଥିପାଇଁ ମୁଁ ଦୁଇଟି ନାଟକର ଉଦାହରଣ ନେଇ ତାହା ପ୍ରମାଣ କରିଛି। ତେବେ ଏହି ଉତ୍ତର ସଂରଚନାବାଦୀ କାଳଖଣ୍ଡରେ ସୃଷ୍ଟି ହୋଇଥିବା ରୂପାନ୍ତର ଶୈଳୀ ବା ପ୍ରକ୍ରିୟାକୁ ଭିତ୍ତିକରି ୧୯୭୦ ପରବର୍ତ୍ତୀ ଓଡ଼ିଆ ନାଟକର ବିଶ୍ଳେଷଣ କରିବା ମୋ ପ୍ରବନ୍ଧର ମୁଖ୍ୟ ଲକ୍ଷ୍ୟ।
୧୯୮୦ ପରବର୍ତ୍ତୀ ଓଡ଼ିଆ ଉପନ୍ୟାସର ଭାଷାଶିଳ୍ପ
ଡ. ଖଗେଶ୍ୱର ମେହେର
Article Received : 13.10.2024 | Accepted : 25.10.2024 | Published : 25.11.2024
ARTICAL ID: BM2024/05-A004 | PAGE 32-38
READ ABSTRACT
ଆଲୋଚ୍ୟ ପ୍ରବନ୍ଧଟିରେ ୧୯୮୦ ପରବର୍ତ୍ତୀ ଓଡ଼ିଆ ଉପନ୍ୟାସର ଭାଷିକ ବୈଚିତ୍ର୍ୟ ଉପରେ ଅଧ୍ୟୟନ ତଥା ବିଶ୍ଳେଷଣ ନିମିତ୍ତ ପ୍ରୟାସ କରାଯାଇଅଛି । ସଂପ୍ରତି ୧୯୮୦ ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ ଏକ ସ୍ୱତନ୍ତ୍ର ଆଲୋଚନାର ବିଷୟ । ପୁଣି, ‘ଭାଷାତତ୍ତ୍ୱ’ ବା ‘ଭାଷାବିଜ୍ଞାନ (Linguistics) ମଧ୍ୟ ଏକ ସ୍ୱତନ୍ତ୍ର ଅଧ୍ୟୟନର ବିଷୟ । କାରଣ, ଭାଷାର ଏକ ତାତ୍ତ୍ୱିକ ଅଥଚ ବୈଜ୍ଞାନିକ ଅନୁଶୀଳନ ହେଉଛି ‘ଭାଷାତତ୍ତ୍ୱ’ ବା ‘ଭାଷାବିଜ୍ଞାନ’ । ଏହି ଭାଷାବୈଜ୍ଞାନିକ ଅନୁଶୀଳନର ଏକ ସ୍ୱତନ୍ତ୍ର ଧାରା ୧୯୮୦ ପରବର୍ତ୍ତୀ ଓଡ଼ିଆ ଉପନ୍ୟାସରେ ଲକ୍ଷଣୀୟ । କହିବା ବାହୁଲ୍ୟ, ଉକ୍ତ କାଳରେ ମୁଖ୍ୟତଃ ଲେଖନୀ ଚାଳନା କରିଥିବା ଔପନ୍ୟାସିକ ପ୍ରମୁଖ ଉପନ୍ୟାସର ଭାବ, ଭାଷା ଓ ଶୈଳୀରେ ନୂତନ ପରୀକ୍ଷା-ନିରୀକ୍ଷା ତଥା ପ୍ରୟୋଗମାନ କରି ପାଠକକୁ ସମ୍ମୁଖୀକୃତ (Foregrounded) କରାଇବାରେ ସମର୍ଥ ହୋଇଛନ୍ତି । ଫଳରେ ୧୯୮୦ ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ ପାଠକ-ସମାଜକୁ ଏକ ନୂତନ ଦିଶା ଦେଖାଇବାରେ ସର୍ବଦା ହୋଇଉଠିଛି ତତ୍ପର । ଏହି ସମସ୍ତ ଆଭିମୁଖ୍ୟକୁ ନେଇ ଶଂସିତ ପ୍ରବନ୍ଧଟି ପ୍ରସ୍ତୁତ ହୋଇଅଛି।
ପଶ୍ଚିମ ଓଡ଼ିଶାର ‘ଦଳ’ ଜନଜାତିଙ୍କ ମୃତ ସଂସ୍କାର କର୍ମ: ଏକ ଅଧ୍ୟୟନ
ମହାଦେବ ଭୋଇ୧, ଡ. ନିବେଦିତା ମହାନ୍ତି୨
Article Received : 12.09.2024 | Accepted : 25.10.2024 | Published : 25.11.2024
ARTICAL ID: BM2024/05-A005 | PAGE 39-42
READ ABSTRACT
ଓଡ଼ିଶାରେ ୬୪ ପ୍ରକାର ଆଦିବାସୀ ସମ୍ପ୍ରଦାୟ ରହିଛନ୍ତି। ଏଥି ମଧ୍ୟରୁ ୧୩ ଗୋଟି ଜାତି ଆଦିମ ଜନଜାତି ଅଟନ୍ତି। ଏମାନଙ୍କ ମଧ୍ୟରୁ ଓଡ଼ିଶ।।ର ପଶ୍ଚିମାଞ୍ଚଳ ଯଥା- ବଲାଙ୍ଗୀର, ବରଗଡ଼, ନୂଆପଡ଼ା ଓ ଛତିଶଗଡ଼ ରାଜ୍ୟର ମହାସମୁନ୍ଦ, ଦେଉରୀ ବ୍ଲକ୍ ର ହଣ୍ଡାପାଆ ଗ୍ରାମ ସହ କେତେକ ଗ୍ରାମାଞ୍ଚଳରେ ‘ଦଳ’ ଜନଜାତି ବସବାସ କରନ୍ତି। ଓଡ଼ିଶାରେ ‘ଦଳ’ ଜନଜାତି ବସବାସ କରୁଥିବା ୧୬୯ରୁ ଅଧିକ ଗ୍ରାମ ରହିଛି। ହାରାହାରି ୮ଟି ବ୍ଲକ ଓ ୩୨ ଗ୍ରାମପଞ୍ଚାୟତ, ୩ ଜିଲ୍ଲା ଓ ଛତିଶଗଡ଼ ୪ ଟି ଗ୍ରାମରେ ‘ଦଳ’ ଜନଜାତି ବସବାସ କରୁଛନ୍ତି। ‘ଦଳ’ ଜନଜାତିର ସାଂସ୍କୃତିକ ଜୀବନ ଅତି ଉନ୍ନତ ମାନର। ‘ଦଳ’ ଜନଜାତିଙ୍କର ନୀତି ନୀୟମ, ବସବାସ, ଚାଳି ଚଳଣି, ବିବାହ ପ୍ରଥା, ଜାନିଯାତ୍ରା, ପର୍ବପର୍ବାଣୀ, ଚିତା କୁଟା, ଜନ୍ମ ସଂସ୍କାର, ଜାତି ସଂସ୍କାର ଭଳିି ମୃତ ସଂସ୍କାର କର୍ମଟି ଅନନ୍ୟ ଅଟେ। ପରିବାରରେ କୌଣସି ସଦସ୍ୟଙ୍କର ମୃତ୍ୟୁ ହେଲେ ତା’ର କିପରି ବିଧି ବିଧାନ ସହ, ଯେତେ ଅସୁବିଧା ଥିଲେ ମଧ୍ୟ ମୃତ ସଂସ୍କାର(ଦଶା କାମ୍) କାର୍ଯ୍ୟଟିକୁ ଅତି ଗୁରୁତ୍ୱର ସହ, ନିଷ୍ଠା ପର ଭାବରେ ପାଳନ କରାଯାଇଥାଏ। ‘ଦଳ’ ମାନେ ବିଶ୍ୱାସ କରନ୍ତି ଯେ- ଏ ସବୁ କରିବା ଦ୍ୱାରା ତାଙ୍କର ପରିବାରର, ସମାଜର ତଥା ସମସ୍ତଙ୍କର ମଙ୍ଗଳ ସାଧିତ ହୋଇପାରିବ। ଆଲୋଚ୍ୟ ପ୍ରବନ୍ଧଟିରେ ଏହି ‘ଦଳ’ ସଂପ୍ରଦାୟର ମୃତ ସଂସ୍କାର କର୍ମ ବିଷୟରେ ଏକ ଅଧ୍ୟୟନ କରାଯାଇ ସେ ବାବଦରେ ବର୍ଣ୍ଣନା କରାଯାଇଛି। ସଂସ୍କାର କର୍ମଟିର ଆରମ୍ଭରୁ ଶେଷ ଘଟଣାକୁ କିଛି ପ୍ରତ୍ୟକ୍ଷ ଫଟୋ ଚିତ୍ର ମାଧ୍ୟମରେ ଦର୍ଶା ଯାଇଛି।
